Upama Alankar Odia - Information That We Want

Wednesday, 30 August 2017

Upama Alankar Odia


ଉପମା
(Upama Alankar)

                            ଯେଉଁ ବାକ୍ୟରେ ଉପମାନ, ଉପମେୟ ସମାନଧର୍ମ ବିଶିଷ୍ଟ ହୋଇଥାନ୍ତି ଓ ସେମାନଙ୍କ ମଧ୍ୟରେ ଥିବା ସାଦୃଶ୍ୟ (ପରି, ତୁଲ୍ୟ, ସଦୃଶ, ଯେହ୍ନେ, ଯେସନ, ସରି, ଯଥା ପ୍ରଭୃତି) ସାଧାରଣ ବୋଧକ ଶବ୍ଦଦ୍ଵାରା ଅଭିହିତ ହୋଇଥାଏ, ସେଠାରେ ଉପମା ଅଳଙ୍କାର ହୁଏ ।

                            ଯାହାକୁ ତୁଲନା ଦିଆଯାଇଥାଏ ତାହାକୁ ଉପମେୟ କୁହାଯାଏ । ଯଥା - ମୁଖଚନ୍ଦ୍ରପରି ସୁନ୍ଦର । ଏଠାରେ ମୁଖ ଚନ୍ଦ୍ରସହିତ ତୁଳନା କରାଯାଇଥିବାରୁ ‘ମୁଖ’ ଉପମେୟ । ଯାହାସହିତ ତୁଳନା କରାଯାଏ ତାହା ଉପମାନ । ସାଧାରଣତଃ ପ୍ରକୃତିର ସୌନ୍ଦର୍ଯ୍ୟ ବିଭବ କିମ୍ଵା ଅଧିକ- ଗୁଣବିଶିଷ୍ଟ ବସ୍ତୁକୁ ଉପମାନ ଭାବେ ଗ୍ରହଣ କରାଯାଏ । ଏଠାରେ ‘ଚନ୍ଦ୍ର’ ବହୁଗୁଣ ବିଶଷ୍ଟ ହୋଇଥିବାରୁ ଉପମାନ ।

                            ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣହେତୁ ତୁଳନା କରାଯାଏ ତାହାକୁ ସାଧାରଣ ଧର୍ମ କହନ୍ତି । ଉପରଲିଖିତ ବାକ୍ୟରେ ମୁଖ ଓ ଚନ୍ଦ୍ରର ସାଧାରଣ ଗୁଣ ହେଉଛି ସୋନ୍ଦର୍ଯ୍ୟ ।

                            ଉପମାନ ଓ ଉପମେୟ ମଧ୍ୟରେ ଥିବା ସାଧାରଣ ଧର୍ମକୁ ଯେଉଁ ଶବ୍ଦ ସଂଯୋଗକରେ ଅଥବା ସେମାନଙ୍କ ସାଦୃଶ୍ୟକୁ ପ୍ରକାଶରେ, ତାହାରେ ଉପମା ବାଚକ ଶବ୍ଦ କୁହାଯାଏ । ପରି, ଯେହ୍ନେ, ଯଥା, ସଦୃଶ, ତୁଲ୍ୟ ଯେସନ ପ୍ରଭୃତି ଉପମାବାଚକ ଶବ୍ଦ ।

             ଉଦାହରଣ - (୧) ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ଵରେ 

                                  ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ            (ଶରତ – ଭକ୍ତକବି ମଧୁସୂଦନ ରାଓ) 

         ଏଠାରେ ଉପମେୟ = ସନୀଳ ଅମ୍ଵରେ (ଆକାଶରେ), ଧଳାମେଘ 
                                  ଉପମାନ – ନୀଳ ସମୁଦ୍ରେର ଭାସୁଥିବା ବୋଇତ 
                                  ସାଧାରଣ ଧର୍ମ – ଭାସିବା 
                                  ଉପମାବାଚକ ଶବ୍ଦ – ଯଥା

ସାଧାରଣ ଧର୍ମ – ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣ ଓ କ୍ରିୟା ସହିତ ତୁଳନା କରାଯାଏ । ଯଥା – ଗୋଲାକାରତ୍ଵ - ଚନ୍ଦ୍ରମୁଖୀ ନାୟିକା ।
ବାଚକ ଶବ୍ଦ - ଯାହା ଉପମାନ ଓ ଉପମେୟ ମଧ୍ୟରେ ଥିବା ସାଦୃଶ୍ୟକୁ ପ୍ରକାଶ କରେ । ଯଥା – ପରି, ଯଥା, ଯେହ୍ନେ,ତୁଲ୍ୟ, ଇତ୍ୟାଦି ।

ଏହି ଉପମା ମୁଖ୍ୟତଃ ତିନିପ୍ରକାର । ଯଥା – ପୂର୍ଣ୍ଣୋପମା, ଲୁପ୍ତୋପମା ଓ ମାଳୋପମା ।

ପୂର୍ଣ୍ଣୋପମା – ଉପମେୟ,ଉପମାନ,ସଧାରଣ ଧର୍ମ, ବାଚକ ଶବ୍ଦ – ଏହି ଚତୁଃ ଉପଦାନ ଉଲ୍ଲଖ ଥିଲେ ପୂର୍ଣ୍ଣୋପମା ହୁଏ । ଯଥା –
                           ଆସନ ସକାଶେ ବୃଦ୍ଧେ ଏବେ ବାଇ
                           ବାଳକେ ଯେସନେ କ୍ରୀଡନକ ପାଇଁ ।                                (ଦରବାର)

                           ଏଠାରେ ବୃଦ୍ଧମାନେ ଉପମେୟ, ବାଳକମାନେ ଉପମାନ, ବାଇପଣ (ବାତୁଳତା) ସାଧାରଣ ଧର୍ମ ଏବଂ ଯେସନେ ଉପମାବାଚକ ଶବ୍ଦ, ଏ ସମସ୍ତର ଉଲ୍ଲଖ ଥିବାରୁ ପୂର୍ଣ୍ଣୋପମା ଅଳଙ୍କାର ହୋଇଛି ।

ଲପ୍ତୋପମା – ¬ଉପମେୟ, ଉପମାନ, ସାଧାରଣ ଧର୍ମ ଓ ଉପମାବାଚକ ଶବ୍ଦ, ଏମାନଙ୍କ ମଧ୍ୟରୁ ଏକ ବା ଏକାଧିକ ଲୁପ୍ତ ହୋଇଥିଲେ ଲୁପ୍ତୋପମା ହୁଏ । ଯେପରି –
                           ଶକୁନ୍ତଳା କଣ୍ଵ-                ଦୁହିତା, ଅପର
                                         ବେନି ତାର ସହଚରୀ
                           ଶକୁନ୍ତଳା ଦିଶୁ -                 ଥିଲା ବେନି ପତ୍ର-
                                         ମଧ୍ୟରେ ପ୍ରସୂନ ପରି ।                                (ପ୍ରଣୟବଲ୍ଲରୀ)

                           ଏଠାରେ ଶକୁନ୍ତଳା ବେନିପତ୍ର ମଧ୍ୟରେ ପ୍ରସୂନ ପରି ସୁନ୍ଦର ଦିଶୁଥିବା କଥା ଉଲ୍ଲେଖ ଅଛି । କିନ୍ତୁ ସୌନ୍ଦର୍ଯ୍ୟବୋଧକ ସାଧାରଣ ଧର୍ମଚଟି ନାହିଁ ।

ମଳୋପମା – ଏକ ଉପମେୟର ଏକାଧିକ ଉପମାନ ଥିଲେ ମାଳୋପମାଳଙ୍କାର ହୋଇଥାଏ । ଯଥା –

                           ଶୋଭିତ ଉତ୍କଳ ସଦ୍ମେ ସଦାଶୟା ।
                           ସରେ ଯଥା ପଦ୍ମ ପଦ୍ମେ ପଦ୍ମାଳୟା ।                                (ଚିଲିକା)

                           ସରରେ ଯେପରି ପଦ୍ମ ଶୋଭାପାଏ ଓ ପଦ୍ମରେ ଯେପରି ଲକ୍ଷ୍ମୀ ଶୋଭାପାଆନ୍ତି, ସେହିପରି ତୁମେ (ପଦ୍ମାବତୀ) ଉତ୍କଳ ରୂପକ ଗୃହରେ ଶୋଭା ପାଇବ । ଏଠାରେ ଗୋଟିଏ ଉପମେୟର ଦୁଇଟି ଉପମାନ ଥିବାରୁ ମାଳୋପମା ହୋଇଛି।

                            ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ
                            ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ
                            ମିଶିଯାଏ ଯଥା ଚପଳୀ ନୀଳ ଜଳଦ ଅଙ୍ଗେ
                           ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ ।                                (ଚନ୍ଦ୍ରଭାଗା – ରାଧାନାଥ ରାୟ )

                            ଏଠାରେ ଉପମେୟ – ଅବଳା (ଚନ୍ଦ୍ରଭାଗା)
                            ଉପମାନ – ପ୍ରଭାତୀତାରା, ଜୀବାତ୍ମା, ଚପଳା
                            ସାଧାରଣ ଧର୍ମ – ଲୀନହେବା, ମିଶିଯିବା
                            ଉପମା ବାଚକ ଶବ୍ଦ – ଯଥା, ତଥା

           ଏହି ପଦରେ ଗୋଟିଏ ଉପମେୟ ପାଇଁ ଚିନୋଟି ଉପମାନ ରହିଛି ।

No comments:

Post a comment