Anuprasa Alankar Odia - Information That We Want

Monday, 21 August 2017

Anuprasa Alankar Odia

ଅନୁପ୍ରାସ
(Anuprasa Alankara)

                                 ଏକ ବ୍ୟଞ୍ଜନବର୍ଣ୍ଣର ପୁନଃପୁନଃ ଆବୃତ୍ତିକୁ ଅନୁପ୍ରାସ କୁହାଯାଏ । ଏହି ଅନୁପ୍ରାସ ଅଳଙ୍କାର ମଧ୍ୟରେ ବିଭିନ୍ନ ବିଭାଗଅଛି । ଯଥା - ବୃତ୍ତ୍ୟନୁପ୍ରାସ (Brutyanuprasa), ଚ୍ଛେକାନୁପ୍ରାସ (Chekanuprasa), ଶ୍ରୁତ୍ୟନୁପ୍ରାସ (Srutyanuprasa), ଲାଟାନୁପ୍ରାସ (Latanuprasa), ଅନ୍ତ୍ୟାନୁପ୍ରାସ (antyanuprasa) ଓ ଆଦ୍ୟପ୍ରାନ୍ତ୍ୟାନୁପ୍ରାସ (Adyaprantyanuprasa) ଇତ୍ୟାଦି ।
ବୃତ୍ତ୍ୟାନୁପ୍ରାସ – ଏହା ମୁଖ୍ୟତଃ ଚାରି ପ୍ରକାର ।
(୧) ଏକ ବ୍ୟଞ୍ଜନବର୍ଣ୍ଣ ଥରେ ମାତ୍ର ଆବୃତ୍ତି ହେଲେ ଏକ ଅଳଙ୍କାର ହୋଇଥାଏ । ଯଥା –                                      ଅଧିକେ ସଂସାର ସଂଗତେ
                                     ପୀରତି ନକରିବ ଚିତ୍ତେ ।                                   (ଭାଗବତ)
ଏଠାରେ ‘ର’ ବର୍ଣ୍ଣର ଥରେ ମାତ୍ର ପୁନରାବୃତ୍ତି କରାଯାଇଛି ‌।

(୨) ଏକ ବ୍ୟଞ୍ଜନ ବର୍ଣ୍ଣ ବହୁବାର ଆବୃତ୍ତି ହେଲେ ବୃତ୍ତ୍ୟନୁପ୍ରାସ ଅଳଙ୍କାର ହୋଇଥାଏ । ଯଥା –
                                     ଉତ୍କଳ – କମଳା – ବିଳାସ – ଦୀର୍ଘିକା
                                     ମରାଳ – ମାଳିନୀ – ନୀଳାମ୍ବୁ – ଚିଲିକା ।                  (ଚିଲିକା)
ଏଠାରେ ‘ଳ’ ବର୍ଣ୍ଣର ବହୁବାର ଆବୃତି ହୋଇଛି ।

(୩) ଏକାଧିକ ବ୍ୟଞ୍ଜନବର୍ଣ୍ଣ କେବଳ ସ୍ଵରୂପତଃ ଆବୃତ୍ତି ହେଲେ, ଯଥା –
                                      ସରେ ରସେ ଷଟପଦ ସାରସୀ – ରସରେ
                                     ବୁଲେ ସଦା ଲବେ ସ୍ଥିର ନୋହି କା’ପାଶରେ ।                (ଲାବଣ୍ୟବତୀ)
ଏଠାରେ ‘ସ’ ଓ ‘ର’ ମିଳିତ ହୋଇ ବହୁବାର ଆବୃତ୍ତ ହୋଇଛନ୍ତି ଅଥଚ ରୂପଗତ ସାମ୍ୟ ଥିଲେ ବି କ୍ରମ ରକ୍ଷା କରାଯାଇନାହିଁ ।

(୪)                   ଦେଖି ନବ କାଳିକା               ବକାଳିକା ମାଳିକା
                                           ଆଳି କାଳିକା କାନ୍ତସ୍ମରି
                         ରକ୍ଷା କେମନ୍ତେ କରି               କରିବା ମତ୍ତକରୀ-
                                           ଗତିକି ଏମନ୍ତ ବିଚାରି ‌।                           (ଲାବଣ୍ୟବତୀ – ଉପେନ୍ଦ୍ରଭଞ୍ଜ)
ଏଠାରେ ‘କ’ ଓ ‘ଳ’ ଏବଂ ‘ର’ ବ୍ୟଞ୍ଜନବର୍ଣ୍ଣର ବାରମ୍ଵାର ପ୍ରୟୋଗ ହୋଇଛି ।

(୫)                    “ ମୋ କୁଳେ ଚାଳି ଚରଣ              କରିବୁ ମା ବିଚରଣ
                                           ବ୍ୟପଦେଶେ ବିତରିଣ ଅମରକାନ୍ତି
                   ତା ଳଭି ବନପାଦପ                                      ରାଜି ହୋଇ ଦପଦପ
                                           ବହିବେ ଅମର ଦର୍ପ ବିହିବେ ଶାନ୍ତି,
                                           ପଲ୍ଲବେ ପାଟଳ ଶ୍ୟାମଳ
                                           ରୁଚିର ରୁଚି ରହିବ ଚିର ନିର୍ମଳ ।                 ( ତପସ୍ଵିନୀ – ଗଙ୍ଗାଧର ମେହେର)
ଏଠାରେ ପ୍ରଥମ ଓ ଦ୍ଵିତୀୟ ପାଦରେ – କ, ଚ, ର, ଏବଂ ପ – ବ୍ୟଞ୍ଜନ ବର୍ଣମାନଙ୍କର ବହୁବାର ଆବୃତ୍ତି ଘଟିଛି ।ତୃତୀୟ ପାଦରେ ‘ପ’, ‘ଳ’, ଏବଂ ୪ର୍ଥ ପାଦରେ ‘ର’ ଏବଂ ‘ଚ’ ର ମଧ୍ୟ ଏକାଧିକବାର ଆବୃତ୍ତି ଘଟିଛି ।

(୬) ଏକାଧିକ ବ୍ୟଞ୍ଜନବର୍ଣ୍ଣ ସ୍ଵରୂପତଃ ଏବଂ କ୍ରମତଃ ବହୁବାର ଆବୃତ୍ତି ହେଲେ ମଧ୍ୟ ବୃତ୍ତ୍ୟନୁପ୍ରାସ ଅଳଙ୍କାର ହୁଏ । ଯଥା –
                               ରସିକ ବିଚାର କରେ                      ଦୀପଦାଲ କାର୍ତ୍ତୀକରେ
                                           ପ୍ରୟାଗେ ସ୍ନାନ ମକରେ ଯେହୁ ନ କରେ
                               ମିଶେ କି ସେ ଆଲୋକରେ              ଉତ୍ତମ ରାମା ଅଙ୍କରେ
                                           ଘେନିବରେ ପଲ୍ୟଙ୍କରେ କି ହିମକରେ । ଇତ୍ୟାଦି ।              (ପ୍ରେମ ସୁଧାନିଧି)

ଏଠାରେ ‘କ’ ଓ ‘ର’ ଦୁଇଟି ବ୍ୟଞ୍ଜନବର୍ଣ୍ଣ ସ୍ଵରୂପତଃ ଓ କ୍ରମତଃ ବହୁବାର ଆବୃତ୍ତି ହୋଇଥିବା ଯୋଗୁଁ ବୃତ୍ତ୍ୟନୁପ୍ରାସ ଅଳଙ୍କାର ହୋଇଛି ‌।

ଚ୍ଛେକାନୁପ୍ରାସ (Chekanuprasa) – ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ସ୍ଵରୂପତଃ ଏବଂ କ୍ରମତଃ ଥରେ ମାତ୍ର ଆବୃତ୍ତି ହେଲେ ଚ୍ଛେକାନୁପ୍ରାସ ହୁଏ । ଯଥା -
                                      ସାଧବ ଶୁଣ ହୋ ମାଧବ ଦୂତୀ କରି ପେଷଣ
                                     କାତର ହୋଇଣ ଉତ୍ତର କଲେ ସଖୀଙ୍କି ପୁଣ ।              (ବିଦଗ୍ଧ ଚିନ୍ତାମଣି)
ଏଠାରେ ‘ସାଧବ’ , ‘ମାଧବ’ , ‘କାତର’ , ‘ଉତ୍ତର’ ଏହିପରି ଏକାଧିକ ବ୍ୟଞ୍ଜନବର୍ଣ୍ଣ ସ୍ଵରୂପତଃ ଏବଂ କ୍ରମତଃ ଥରେ ଥରେ ଆବୃତି ହୋଇଛି ।

ଶ୍ରୁତ୍ୟନୁପ୍ରାସ (Srutyanuparasa)– କଣ୍ଠ , ଓଠ ଏବଂ ତାଳୁ – କୈଣସି ଏକ ସ୍ଥାନରୁ ଉଚ୍ଚାରିତ ବ୍ୟଞ୍ଜନବର୍ଣ୍ଣ ମାନଙ୍କର ଏକାଧିକବାର ଆବୃତ୍ତିକୁ ଶ୍ରୁତ୍ୟନୁପ୍ରାସ କୁହାଯାଏ । ଯେପରି –
                                     ପୁଷ୍ପପବି ପ୍ରଭା ପ୍ରଭ ଭ୍ରମୁ ଭାବେ ଭୁବି
                                     ଭୀମ ବାଷ୍ପ ଭବ ଭବେ ଭବ ଭାବି ଭାବି ।               (ପ୍ରେମ ସୁଧାନିଧି)
ଏଥିରେ କେବଳ ଓଷ୍ଠ୍ୟବର୍ଣ୍ଣଗୁଡିକ ବ୍ୟବହୃତ ।

ଲଟାନୁପ୍ରାସ (Latanuprasa) – କେବଳ ଅନ୍ଵୟ ଭେଦ ଥାଇ ଏକ ଅର୍ଥରେ ଶବ୍ଦର ଆବୃତ୍ତି ହେଲେ ଲାଟାନୁପ୍ରାସ ହୁଏ । ଅର୍ଥାତ୍ ଶବ୍ଦ ଓ ଅର୍ଥ ଉଭୟଙ୍କ ପୁନରୁକ୍ତି ହେବା ସତ୍ତ୍ଵେ ସେ ଉଭୟଙ୍କ ମଧ୍ୟରେ କୌଣସି ତାତ୍ପର୍ଯ୍ୟଗତ ପାର୍ଥକ୍ୟ ଥିବା ଆବଶ୍ୟକ । ଯଥା –
                                     ଉପାଧି ଜଡ଼ିତେ ଉପାଧି ଜଡ଼ିତ
                                     ଉପାଧିରେ ଆଜି କରିବେ ଜଡ଼ିତ ।               (ଦରବାର)
ଏଠାରେ ଅର୍ଥଗତ ପ୍ରଭେଦ ନଥିଲେ ମଧ୍ୟ ତାତ୍ପର୍ଯ୍ୟଗତ ପ୍ରଭେଦରେ ‘ଉପାଧି’ ଶବ୍ଦ ପୁନଃପୁନଃ ପ୍ରୟୋଗ କରାଯାଇଛି ।

ଅନ୍ତ୍ୟାନୁପ୍ରାସ (Antyanuprasa) – ପାଦ ବା ପଦର ଶେଷରେ ଅବସ୍ଥିତ ବ୍ୟଞ୍ଜନବର୍ଣ୍ଣ ତାହାର ପୂର୍ବରର୍ତ୍ତୀ ଓ ପରବର୍ତ୍ତୀ ସ୍ଵର ସହିତ ଏକାଧିବାର ଆବୃତି ହେଲେ ଅନ୍ତ୍ୟାନୁପ୍ରାସ ହୁଏ ।
                                     ଅପ୍ରାକୃତ ପ୍ରେମ ତା’ନାମ କାମ
                                     ଆୟତ୍ତ ରହେ କି ସେ ହେଲେ ବାମ ।               (ବିଦଗ୍ଧ ଚିନ୍ତାମଣି)

ଆଦ୍ୟ – ପ୍ରାନ୍ତ୍ୟାନୁପ୍ରାସ/ ଏକବର୍ଣ୍ଣାନୁପ୍ରାସ – କୌଣସି ପଦର ପ୍ରତିଚରଣର ଆଦ୍ୟ ଓ ପ୍ରାନ୍ତରେ ଏକ ପ୍ରକାର ବ୍ୟଞ୍ଜନବର୍ଣ୍ଣ ବ୍ୟବହୃତ ହୋଇଥିଲେ ଏହି ଅନୁପ୍ରାସ ହୋଇଥାଏ । ଯଥା –
                                     ସନ୍ଥଜଳ ଘେନ ଏ ଦିବ୍ୟରସ
                                     ସଖା ଶିଣି ଗୋବିନ୍ଦ – ଚିନ୍ତା ଭାଷ ।               (ବିଦଗ୍ଧ ଚିନ୍ତାମଣି)

No comments:

Post a comment